..ବଡ଼ଠାକୁରଙ୍କୁ ଭୋଳାଶଙ୍କର..
___________________
ଜଗନ୍ନାଥେ ଥରେ ବୁଲି ଆସିଥିଲେ ରାଜଧାନୀ ଭୂବନେଶ୍ବର ,,
ମାଷ୍ଟର କ୍ୟାଣ୍ଟିନ୍ ଛକରେ ତାଙ୍କର ଦେଖାହେଲେ ଭୋଳାଶଙ୍କର ।
କହିଲେ ଶଙ୍କର
କ'ଣ ସବୁ ଆଉ ଖବର ।
ଶଙ୍କର କହିଲେ ଭକ୍ତମାନେ ସବୁ ଗଞ୍ଜେଇ ଛାଡ଼ି ଖାଇଲେଣି ବ୍ରାଉନ୍ ସୁଗାର୍ ,,
ପାର୍ବତୀଟା ଆଉ ଷଣ୍ଢରେ ବସୁନି କହୁଛି ଦର୍କାର ଆକ୍ଟିଭା ସ୍କୁଟର ।
ଗଣେଶଟା ଖାଲି ଅଝଟ କରୁଛି ଖାଇବାକୁ ରାଶି ଲଡୁ ,,
ପାର୍ବତୀ କହୁଛି ଟଙ୍କା ନାହିଁ ଯଦି ବିକିଦିଅ ତମ ଗଡୁ ।
ତୁମେ ତ ବସିଛ ବଡଦେଉଳରେ ତୁମ ସିଂହାସନ ରତ୍ନ ,,
ମୁଁ ତ ବସିଛି ବାଘ ଛାଲଟାରେ କିଏ ବା ନେଉଛି ଯତ୍ନ ।
ତୁମକୁ ସିନା ହେ ରଥରେ ବସାଇ ଭକ୍ତ ନେଉଛନ୍ତି ଭିଡ଼ି ।
ଆଜିଯାଏ ମୁହିଁ ଷଣ୍ଢରେ ବୁଲୁଛି କରିପାରିଲିନି ଗାଡ଼ି ।
ତୁମ ଧର୍ମପତ୍ନୀ ଲକ୍ଷ୍ମୀ ଠାକୁରାଣୀ ଅଭାବ ତୁମର ନାହିଁ ,,
ମୋ ଜୀବନସାଥୀ ମିଳିଛି ପାର୍ବତୀ ଫଟା କଉଡିଟେ ନାହିଁ ।
ତୁମ ଦୁଆରକୁ ଜଗିବା ପାଇଁ କି ସିଂହ ତ ରଖିଛ ଦୁଇ ,,
ମୋ ଦୁଆର କଥା ସହଜେ ଜାଣିଛ ଷଣ୍ଢକୁ ତ ପଘା ନାହିଁ ।
ଷାଠିଏ ପଉଟି ଖାଇ କି ବଳୁଛି ଆହୁରି ବିକୁଛ ଅଭଡା ,,
ମୁଁ ଚୋବୋଉଛି ବେଲପତର ମୋ ଷଣ୍ଢ ଚୋବୋଉଛି ନଡା ।
ଖରାଦିନେ ତୁମେ ସମୁଦ୍ରକୂଳରେ ଖାଉଛ ଶୀତଳ ପବନ ,,
ଭୂବନେଶ୍ୱରରେ ତାପମାତ୍ରା କେତେ ଦେଖୁନ କି ଟେଲିଭିଜନ୍ ।
ଏଇଥିରୁ ତୁମେ ଜାଣି ପାରୁଥିବ କେମିତି ଚଳେ ମୋ ସଂସାର ,,
ଜଗତର ନାଥ ଜଗନ୍ନାଥ ହୋଇ ପଚାରୁଛ ପୁଣି ଖବର ।
ଛକଟାରେ ଆଉ କେତେ କଥା ହେବା ଅଚାନକ ହେଲା ଭେଟ ,,
ବେଳ ହେଲେ ଟିକେ ବୁଲି ଆସନ୍ତ ନି ଭୋଳାଶଙ୍କରଙ୍କ ମଠ ।
ଫୋନ୍ ନମ୍ବରଟା ଟିପି ରଖିଥାଅ ହେଉଛି ଫୋର୍ ଟୁ ଜିରୋ ,,
ଲସି ଦୋକାନରେ ପଚାରିବ ଆସି କେଉଁଠି ରହନ୍ତି ଲିଙ୍ଗରାଜ ଭୋଳାଶଙ୍କର ।
ଭୂବନେଶ୍ୱରରେ ଭକ୍ତ ମୋର ଯେତେ ଅଫିସର ଠାରୁ ଅର୍ଦ୍ଧଳି ,,
ଦରଖାସ୍ତ କରନ୍ତି ଲାଞ୍ଚ ଦେଇ ମୋତେ ଚୋପାଛଡ଼ା ଦେଶୀ କଦଳୀ ।
କହନ୍ତି ହେ ଶିବ ଦୟା ରଖିଥିବ ନ କରିବ ଆମ ବଦଳି ,,
ମୋଟା ହୋଇକରି କୋଠା କରି ଏଠି ସୁଖରେ ଯାଉଛୁ ଚଳି ।
ମୋତେ ଦେଉଥାନ୍ତି ଦୋପାଗି ଉଖୁଡା ସଙ୍ଗରେ ଗଞ୍ଜେଇ ପୁଡିଆ ,,
ଗଣେଶକୁ ମୋର ଓମଫେଡ୍ କ୍ଷୀର ପାର୍ବତୀକୁ ପାନ ବିଡିଆ ।

No comments:
Post a Comment